ନୀଳମଣି ବିଦ୍ୟାରତ୍ନଙ୍କ ପ୍ରଜାବନ୍ଧୁ ପତ୍ରିକା ଓ ଗଞ୍ଜାମ ସମ୍ମିଳନୀର ସ୍ଵପ୍ନ ଆଜିର ସ୍ଵତନ୍ତ୍ର ଓଡିଶା ପ୍ରଦେଶ ନିମନ୍ତେ ଥିଲା ଏକ ଶକ୍ତ ଆହ୍ଵାନ

ଆମ ଓଡିଶା ଆଜି ସ୍ଵତନ୍ତ୍ର ପ୍ରଦେଶ ଭାବରେ ଭାରତବର୍ଷରେ ସ୍ଥାନ ପାଇଛି । ଏହି ସ୍ଵତନ୍ତ୍ରତା ପାଇଁ ଯେଉଁ କେତେଜଣ ମହାମନୀଷୀ ଆପ୍ରାଣ ଉଦ୍ୟମ ଚଳାଇ ଆସୁଥିଲେ ସେମାନଙ୍କ ମଧ୍ୟରେ ନୀଳମଣି ବିଦ୍ୟାରତ୍ନ ଥିଲେ ଅନ୍ୟତମ । ସେ ଥିଲେ ଜଣେ ଦକ୍ଷ ସାହିତ୍ୟ ସାଧକ । ତାଙ୍କ ସାହିତ୍ୟ ସାଧନା ମାଧ୍ୟମରେ ନବଜାଗରଣ ସୃଷ୍ଟି କରାଇ ବିଚ୍ଛିନ୍ନ ଭାବେ ଅନ୍ୟ ପ୍ରଦେଶ ସହ ମିଶି ରହିଥିବା ଓଡିଆ ଭାଷାଭାଷି ଅଞ୍ଚଳ ଗୁଡିକୁ ଏକତ୍ରିତ କରାଇବାରେ ନୀଳମଣି ବିଦ୍ୟାରତ୍ନ ଥିଲେ ପ୍ରଥମ ଆବାହକ । ତାଙ୍କର ବାଲ୍ୟ ଚପଳତା ଓ ପରିବାରର ଆର୍ଥିକ ଦୂରାବସ୍ଥା ଯୋଗୁଁ ଅଧିକ ପାଠ ପଢିବାକୁ ସକ୍ଷମ ହୋଇ ପାରିନଥିଲେ । ମାଇନର ପର୍ଯ୍ୟନ୍ତ ପାଠ ପଢି ତାଙ୍କ ପାଣ୍ଡିତ୍ୟ କିଛି କମ ନଥିଲା । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ଅଦ୍ଵିତୀୟ ପ୍ରତିଭା । ସେ ଅନେକ ସାହିତ୍ୟ ଓ ସମ୍ବାଦ ପତ୍ରିକାର ସମ୍ପାଦନା କରି ଏକ ନବଯୁଗର ଅୟମାରମ୍ଭ କରିଥିଲେ । ୧୯୦୨ ମସିହାରେ ଖଲ୍ଲିକୋଟର ରାଜାସାହେବ ନୀଳମଣି ବିଦ୍ୟାରତ୍ନଙ୍କୁ ପାଇ ଗଞ୍ଜାମ ଜିଲ୍ଲାର ରମ୍ଭା ଠାରେ ଏକ ଛପା କାରଖାନା (ପ୍ରେସ) ପ୍ରତିଷ୍ଠା କରିବା ସହ ତାଙ୍କ ସମ୍ପାଦନାରେ “ପ୍ରଜାବନ୍ଧୁ” ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ । ନୀଳମଣି ଏହି ପ୍ରଜାବନ୍ଧୁ ପତ୍ରିକା ମାଧ୍ୟମରେ ଗଞ୍ଜାମକୁ ବିହାର-ଓଡିଶାରେ ମିଶାଇବା ପାଇଁ ଆହ୍ଵାନ ଦେଇଥିଲେ । ସେତେବେଳକୁ ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହି ଶାସିତ ହେଉଥିଲା । ପ୍ରଜାବନ୍ଧୁ ପତ୍ରିକାର ଆହ୍ଵାନରେ ବିପୁଳ ଜନଜାଗରଣ ସୃଷ୍ଟି ହୋଇଥିଲା ଏବଂ ନୀଳମଣିଙ୍କ ଉଦ୍ୟମରେ ରମ୍ଭା ଠାରେ “ଗଞ୍ଜାମ ସମ୍ମିଳନୀ” ଅନୁଷ୍ଠିତ ହୋଇଥିଲା । ନୀଳମଣି ବିଦ୍ୟାରତ୍ନଙ୍କ ଅନୁରୋଧରେ ଏହି ସମ୍ମିଳନୀରେ ବାରିଷ୍ଟର ମଧୁସୂଦନ ଦାସ ସଭାପତି ଭାବେ ଯୋଗଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ମଧୁସୂଦନଙ୍କ ଉତ୍କଳ ସମ୍ମିଳନୀ ପାଇଁ ଏହି ଗଞ୍ଜାମ ସମ୍ମିଳନୀ ହିଁ ପ୍ରେରଣା ଯୋଗାଇଥିଲା । ନୀଳମଣିଙ୍କ ପ୍ରଜାବନ୍ଧୁ ପତ୍ରିକା ଓ ଗଞ୍ଜାମ ସମ୍ମିଳନୀର ସ୍ଵପ୍ନ ଆଜିର ସ୍ଵତନ୍ତ୍ର ଓଡିଶା ପ୍ରଦେଶ ବୋଲି କହିଲେ ଭୁଲ ହେବ ନାହିଁ ।
ତଥ୍ୟ - ଲକ୍ଷ୍ମୀନାରାୟଣ, ବଣମଲ୍ଲୀର ମହକ

Post a Comment

Post a Comment (0)

Previous Post Next Post