ବଣମଲ୍ଲୀର ମହକ ଅନୁସନ୍ଧାନରେ ନଜରକୁ ଆସିଥିଲା ଅଶୀବର୍ଷ ତଳର ଏକ ପୌରାଣିକ ସାହିତ୍ୟ କୃତି

ତା ୨୪/୦୪/୨୦୧୯ - ଦୀର୍ଘ ଅଶୀବର୍ଷ ତଳେ ଖୋରଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମରେ କବି ପଣ୍ଡିତ ମାର୍କଣ୍ଡ ମିଶ୍ର ଦେବଶର୍ମାଙ୍କ ଦ୍ଵାରା ରଚିତ "କୃଷ୍ଣଜନ୍ମ ଚରିତ" ହେଉଛି ଓଡିଆ ପୁରାଣ ସାହିତ୍ୟର ଏକ କାଳଜୟୀ ସୃଷ୍ଟି । ଯାହା ତାଳପତ୍ର ଉପରେ ଲେଖନୀ ମାଧ୍ୟମରେ ରଚନା କରାଯାଇଥିଲା । ବଣମଲ୍ଲୀର ମହକ ଅନୁସନ୍ଧାନରେ ନଜରକୁ ଆସିଥିଲା ଏହି ବିରଳ ସାହିତ୍ୟ କୃତି । ସଂପୂର୍ଣ୍ଣ ଅଂଶ ନହେଲେ ମଧ୍ୟ ସେହି ତାଳପତ୍ର ପୋଥିର କିଛି ଅଂଶକୁ ବଣମଲ୍ଲୀ ପରିବାର ତରଫରୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ସେହି ତାଳପତ୍ର ପୋଥିର କିଛି ସଂକ୍ଷିପ୍ତ ଅଂଶକୁ ଏଠାରେ ଉଦ୍ଧାର କରାଯାଇଅଛି । କବି ପଣ୍ଡିତ ମାର୍କଣ୍ଡ ମିଶ୍ର ଦେବଶର୍ମାଙ୍କ ପଦାଙ୍କ ଅନୁସରଣରେ ତାଙ୍କ ନାତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ହେଉଛନ୍ତି ଅଧୁନା ସାହିତ୍ୟ ଜଗତର ଜଣେ ସୁପରିଚିତ କବି । 

ତାଳପତ୍ର ପୋଥିରୁ ଉଦ୍ଧାର କରାଯାଇଥିବା ସଂକ୍ଷିପ୍ତ ଅଂଶ :

ଶୁକଦେବ କହେ ଶୁଣ ପରୀକ୍ଷ ରାଜନ
ଶ୍ରୀକୃଷ୍ଣର ଜନ୍ମଲୀଳା ଅପୂର୍ବ କଥନ ।
କ୍ଷୀରାବଧି ତଟେ ବ୍ରହ୍ମାଦି ଦେବେ କଲେ ଧ୍ୟାନ
ଦୁଷ୍ଟ କଂସ ନାଶ କରି ରଖ ଦେବଗଣ ।
ତୁମେ ନରଖିଲେ ପ୍ରଭୁ ହୋଇଲୁ ଅରକ୍ଷ
ଶରଣ ରକ୍ଷଣ ବାନା ରଖ ପଙ୍କଜାକ୍ଷ ।
ଏତେ ଜଣାଇଣ ଦେବେ ହୋଇଲେ ମଉନ
ଜାଣି ସୁପ୍ରସନ୍ନେ ଆଜ୍ଞା ଦେଲେ ଭଗବାନ ।
ଦୁଷ୍ଟ ବିନାଶ କରିବୁ ଶୁଣ ସୁରଗଣ
ଅସୁର ଭାରାରେ ମହୀ ହୁଏ କମ୍ପମାନ ।
ଦେବକୀ ବସୁଦେବଙ୍କୁ ଦେଇଅଛୁ ବର
ତୁମ୍ଭ କୋଳେ ଜାତ ହେବୁ ଯାଇ ମଧୁପୁର ।
ଏବେ ବନ୍ଦୀ ଘରେ ରହି କରନ୍ତି ଭାବନ
ପୁତ୍ର ରୂପେ ପାଇ ବାଞ୍ଛା କରିବେ ପୂରଣ ।
ଭାଦ୍ରବ କୃଷ୍ଣ ଅଷ୍ଟମୀ ନିଶି ଅର୍ଦ୍ଧ ଠାରେ
ଜାତ ହୋଇବଇଁ ଯାଇ ସେ ବନ୍ଦୀ ମନ୍ଦିରେ ।
ଯୋଗବଳେ ଯୋଗମାୟା ଯଶୋଦାର କୋଳେ
ଆବିର୍ଭୂତ ହୋଇ ନିଦ୍ରା ଘୋଟିବ ସକଳେ ।
ସେହି ରାତ୍ରେ ବସୁଦେବ ଗୁପ୍ତେ ମୋତେ ନେବ
ଯଶୋବନ୍ତୀ କୋଳେ ଦେଇ କନ୍ୟାକୁ ଆଣିବ ।
ଗୋପେ ବଢି କଂସଲୋଡି ମାରିବୁ ଅସୁର
ନିର୍ଭୟରେ ଦେବଗଣ ଚଳ ସ୍ଵର୍ଗପୁର ।
ଏତେ ଆଜ୍ଞା ଦେଇ ପ୍ରଭୁ ହେଲେ ଅନ୍ତରଧ୍ୟାନ
ଅତି ଆନନ୍ଦରେ ଚଳି ଗଲେ ଦେବଗଣ ।
ସୁଧର୍ମା ସଭା ମଣ୍ଡାଇ କଲେ ପୁଷ୍ପ ବୃଷ୍ଟି
ଜାତ ହୋଇଣ ଗୋବିନ୍ଦ ନାଶିବେ ଅରିଷ୍ଟି ।
ଦୁନ୍ଦୁଭି ବଜାଇ ଅପସରା କଲେ ନୃତ୍ତ୍ୟ
ତାଣ୍ଡବେ ମାତି ଭୋଳ ହେଲେ ଭୋଳାନାଥ ।
ଇନ୍ଦ୍ର ଆଜ୍ଞା ଦେଲେ ଘନ ପବନ ହଜାରି
କଂସ ବନ୍ଦୀ ଘରେ ଚଳ ନିଜ ରୂପ ଧରି ।
ନାରଦ ବୀଣା ବଜାଇ ଅତି କୁତୂହଳେ
ମହାମଙ୍ଗଳ ଉସ୍ଚବ ପୁରିଲା ତ୍ରିପୁରେ ।
ବିପ୍ରେ ଆହୁତି ଦିଅନ୍ତି କରି ଦେବା ଧ୍ୱନି
ହରି ଶଦ୍ଦେ ପୁରିଉଠେ ସକଳ ଅବନୀ ।
ମଳୟ ପବନ ବହେ ଘନ ବୃଷ୍ଟି କରେ
ସକଳ ଯେ ଗ୍ରହଗଣ ଅଛନ୍ତି ଉଚ୍ଚରେ ।
ରାତ୍ର ସପ୍ତମ ଘଟିକା ହୋଇଲା ଯେ ଶେଷ
ସେ ସମୟେ ପ୍ରହରୀଙ୍କି ନିଦ୍ରା ପରକାଶ ।
ବନ୍ଦୀ ଘରେ ଶୂଳ ଉଠେ ଦେବକୀ ଉଦର
କହେ ମାରକଣ୍ଡ ପ୍ରଭୁ କଷ୍ଟୁ ପାରିକର ।

Post a Comment

Post a Comment (0)

Previous Post Next Post